Unknown

 

 

 

 

 

 

 

 

 

ଆଚାର୍ଯ୍ୟ ରମଣ

(ଚତୁର୍ଥ ଖଣ୍ଡ)

 

ଶ୍ରୀ ରଘୁନାଥ ମହାପାତ୍ର

 

ବିଜ୍ଞାନ କ୍ଷେତ୍ରରେ ଭାରତ

 

ଏଇ ଭାରତ ଭୂମିକୁ କେତେ ନେତା, କବି, ରାଜନୀତିଜ୍ଞ ସମାଜସେବୀ ଉଜ୍ଜ୍ୱଳ କରିଯାଇଛନ୍ତି । କାହିଁ କେତେ ଯୁଗରୁ ଭାରତ ସେମାନଙ୍କର ଜ୍ଞାନ ଗାରିମାଦ୍ୱାରା ନିଜର ମହତ୍ତ୍ୱ ବଜାୟ ରଖିଛି । ଭାରତର ଅତୀତ ଇତିହାସ ଯେପରି ଉଜ୍ଜ୍ୱଳ, ବର୍ତ୍ତମାନ ସେହିପରି ମଧ୍ୟ ଦୀପ୍ତ । କେତେ ଗାଣିତିକ, ଜ୍ୟୋତିଷୀ ମଧ୍ୟ ଏ ଦେଶରେ ଜନ୍ମ ହୋଇଛନ୍ତି । ପୃଥିବୀର ପୁରାତନ ଦେଶମାନଙ୍କ ମଧ୍ୟରେ ଗ୍ରୀସ୍, ରୋମ, ମିଶର, ଭାରତ ଓ ଚୀନ ବିଶିଷ୍ଟ ସ୍ଥାନ ଅଧିକାର କରି ଆସିଛନ୍ତି । ବିଶେଷତଃ ଗ୍ରୀସ୍ ଓ ମିଶର ଦେଶପରି ଭାରତ ମଧ୍ୟ ଜ୍ୟୋତିଷ ଓ ଗଣିତ ଶାସ୍ତ୍ରରେ ସେ ପୁରାତନ କାଳରୁ ପୃଥିବୀରେ ସୁନାମ ଅର୍ଜନ କରି ଆସିଛି । ଯେତେବେଳେ ପ୍ଲେଟୋ, ଏରିଷ୍ଟଟ୍‍ଲ ପ୍ରଭୃତି ଜ୍ୟୋତିଷୀମାନଙ୍କ ନାମ ଗଣାଯାଏ, ସେତେବେଳେ ଆମ ଦେଶର ଭାସ୍କରାଚାର୍ଯ୍ୟ, ବରାହମିହିର ପ୍ରଭୃତି ଗଣିତଜ୍ଞମାନଙ୍କୁ ସେହି ତାଲିକା ଭୁକ୍ତ କରାଯାଏ । ଆମ ଭାରତ କୌଣସି କ୍ଷେତ୍ରରେ ପୁରାତନ କାଳରେ ପଛରେ ପଡ଼ି ନ ଥିଲା ।

 

ଚାଷ କରିବାକୁ ଇଚ୍ଛା କଲେନାହିଁ । ସହଜେ ତ ବ୍ରାହ୍ମଣମାନେ ଚାଷ କରନ୍ତି ନାହିଁ । ସେ ଘରଦ୍ଵାର ଛାଡ଼ି ତ୍ରିଚିନାପଲ୍ଲୀ ସହରରେ ଘର କରି ରହିଲେ । ତାଙ୍କ ପୂର୍ବରୁ ସେ ବଂଶର କେହି ଗାଁ ଛାଡ଼ି ଏପରି ସହରରେ ରହି ନ ଥିଲେ । ସେ ଅଳ୍ପ ପାଠ ପଢ଼ିଥିଲେ । ପୁଣି ତ୍ରିଚିନାପଲ୍ଲୀ ପରି ସହରରେ ରହିବା ଫଳରେ ତାଙ୍କର ପଢ଼ିବାର ସୁବିଧା ହେଲା । ସେତେବେଳେ ଇଂରେଜୀ ପଢ଼ିବା ଲୋକ କମ୍ ଥାନ୍ତ । ଅଟ୍ୟର ମହାଶୟ ନିଜେ ନିଜେ ପଢ଼ି ସୁଶିକ୍ଷିତ ହେଲେ । ତ୍ରିଚିନାପଲ୍ଲୀର ଗୋଟିଏ ହାଇସ୍କୁଲରେ ସେ ଶିକ୍ଷକ ପଦରେ ନିଯୁକ୍ତ ହେଲେ । ଉକ୍ତ ହାଇସ୍କୁଲରେ ଶିକ୍ଷକତା କରିବା ସଙ୍ଗେ ସଙ୍ଗେ ଘରୋଇ ଭାବରେ ବି. ଏ. ପଢ଼ୁଥାନ୍ତି । ଅଟ୍ୟର ମହାଶୟ ବି. ଏ. ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବାବେଳେ ଭେଙ୍କଟ ରମଣଙ୍କର ଜନ୍ମ ।

 

୧୮୮୮ ମସିହା ନଭେମ୍ବର ମାସ ୭ ତାରିଖ । ସେହିଦିନ ଭେଙ୍କଟ ରମଣ ଅଟ୍ୟର ମହାଶୟଙ୍କର ଘର ଉଜ୍ଜ୍ୱଳ କଲେ । ଶ୍ରୀଯୁକ୍ତ ଅଟ୍ୟର ବି. ଏ. ପାସ କଲେ । ସେତେବେଳେ ବି. ଏ. ଉପାଧିଧାରୀ ଲୋକ କଲେଜର ପ୍ରଫେସର ହୋଇ ପାରୁଥିଲେ । ତ୍ରିଚିନାପଲ୍ଲୀ କଲେଜରେ ସେ ଅଧ୍ୟାପକ ଭାବରେ ନିଯୁକ୍ତ ହେଲେ । ବିଶେଷତଃ ବିଜ୍ଞାନ ଓ ଗଣିତ ବିଦ୍ୟାରେ ତାଙ୍କର ଆଗ୍ରହ ବେଶି ଥିଲା ଓ ସଙ୍ଗୀତକଳା ବଡ଼ ପ୍ରିୟ ଥିଲା । ସେ ମଧ୍ୟ ବୀଣା ବଜାଇ ଜାଣୁଥିଲେ ।

 

୧୮୯୨ ମସିହାରେ ଅଟ୍ୟର ତ୍ରିଚିନାପଲ୍ଲୀ କଲେଜ ଛାଡ଼ି ବର୍ତ୍ତମାନ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା କଲେଜରେ ବିଜ୍ଞାନ ଅଧ୍ୟାପକ ହେଲେ । ସେତେବେଳେ ଏହି କଲେଜର ଅଧ୍ୟକ୍ଷ ଥିଲେ ଶ୍ରୀଯୁକ୍ତ ଜି.ଟି. ଶ୍ରୀନିବାସ ଆୟାଙ୍ଗର । ଅଟ୍ୟର ମହାଶୟଙ୍କ ସହିତ ତାଙ୍କର ଆଗରୁ ବନ୍ଧୁତା ଥିଲା ଓ ସେହି ବନ୍ଧୁତାର ଅନୁରୋଧରେ ସେ ତ୍ରିଚିନାପଲ୍ଲୀ ଛାଡ଼ିଲେ । ସେତେବେଳକୁ ଭେଙ୍କଟଙ୍କ ବୟସ ମୋଟେ ଚାରିବର୍ଷ ।

 

ବାଳକ ରମଣଙ୍କ ମାତାଙ୍କ ନାମ ଶ୍ରୀମତୀ ପାର୍ବତୀ ଅମ୍ମଳ । ସେ ଜଣେ ଶାସ୍ତ୍ରୀ ବ୍ରାହ୍ମଣଙ୍କର କନ୍ୟା ଥିଲେ । ପାର୍ବତୀଙ୍କ ପିତା ବଡ଼ ବିଦ୍ୟାନୁରାଗୀ ଥିଲେ । ସେତେବେଳେ ସେ ନ୍ୟାୟଶାସ୍ତ୍ର ପଢ଼ିବା ପାଇଁ ଇଚ୍ଛା କରି ପାଦରେ ଚାଲି ଚାଲି ବଙ୍ଗଳା ପ୍ରଦେଶକୁ ଯାଇଥିଲେ । ପାର୍ବତୀ ପିତାଙ୍କ ପରି ବଡ଼ ବିଦ୍ୟାନୁରାଗିଣୀ ଥିଲେ । ତାଙ୍କର ଆଉ ଗୋଟିଏ ବିଶେଷ ଗୁଣ ଥଲା । ସେ ଦେଖିବାକୁ ସୁଶ୍ରୀ ଥିଲେ । କୌଣସି କାର୍ଯ୍ୟକୁ ଆରମ୍ଭ କଲେ ସେ ତାହାକୁ ଶେଷ ପର୍ଯ୍ୟନ୍ତ ଅତି ଆଗ୍ରହ ସହିତ କରିବାରେ ମନ ପ୍ରାଣ ଢାଳି ଦେଉଥଲେ ।

 

ଏହିପରି ପିତାମାତାଙ୍କର ଗୁଣଗୁଡ଼ିକ ଧରି ଭେଙ୍କଟ ରମଣ ଜନ୍ମ ହୋଇଥିଲେ । ପିତାମାତାଙ୍କର ଆଦର ଓ ସ୍ନେହ ମଧ୍ୟରେ ଭେଙ୍କଟ ବଢ଼ିଲେ । ବିଶାଖାପାଟଣାର ମନୋରମ ଦୃଶ୍ୟ ଓ ସମୁଦ୍ର ଉପକୂଳର ଶରୀର ହିତକାରୀ ଜଳବାୟୁ ମଧ୍ୟରେ ଭେଙ୍କଟଙ୍କର ବାଲ୍ୟକାଳ କଟିଲା ।

Image

 

ରମଣଙ୍କ ଶିକ୍ଷା

 

ଭାରତରେ କାଶୀ ବିଦ୍ୟାନଗରୀ ନାମରେ ପରିଚିତ । ପୂର୍ବକାଳରେ ଲୋକେ କାଶୀକୁ ପଢ଼ିବାକୁ ଯାଉଥିଲେ । ଆଧୁନିକ ଯୁଗରେ ଭାରତରେ କାଶୀପରି ଆହୁରି କେତେଗୁଡ଼ିଏ ବିଦ୍ୟାପୀଠ ଅଛି । ସେ ବିଦ୍ୟାପୀଠମାନଙ୍କ ମଧ୍ୟରୁ ବିଶାଖାପାଟଣା ଗୋଟିଏ । ବିଶାଖାପାଟଣା ଆଜିକାଲିର ସହର ନୁହେଁ । ଉକ୍ତ ସହରଟି ପୂର୍ବେ ଓଡ଼ିଶା ରାଜ୍ୟ ଅନ୍ତର୍ଗତ ଥିଲା । ଇଂରେଜମାନେ ଆସିବା ପରେ ଏ ସହରର ନାମ ଭାଇଜାଗାପଟମ ହୋଇଅଛି । ଏହାର ପ୍ରାଧାନ୍ୟ କ୍ରମେ କ୍ରମେ ବଢ଼ିବାରେ ଲାଗିଛି ।

 

ଏହି ଭାଇଜାଗାପଟମ ସହରରେ ରମଣଙ୍କର ବାଲ୍ୟକାଳ କଟିଲା । ସେ ଏହି ସହରର ଗୋଟିଏ ସ୍କୁଲକୁ ପଢ଼ିବାକୁ ଗଲେ । ତାଙ୍କର ପିତା ଥିଲେ ମହା ବିଦ୍ୱାନ୍ ଲୋକ । ରମଣଙ୍କ ଶିକ୍ଷା, ଦୀକ୍ଷା ପ୍ରତି ସେ ଖୁବ୍ ଦୃଷ୍ଟି ଦେଇଥିଲେ । ପିଲାଦିନରେ ସେ ଭଲ ପଢ଼ୁଥିଲେ । ପାଠପଢ଼ା ପ୍ରତି ତାଙ୍କର ଆଗ୍ରହ ଥିଲା । ସେ ଅଳ୍ପ ବୟସରେ ହାଇସ୍କୁଲ ଶିକ୍ଷା ଶେଷ କରି ବିଶାଖାପାଟଣା କଲେଜରେ ନାମ ଲେଖାଇଲେ । ବିଶାଖାପାଟଣାର ଏହି କଲେଜର ନାମ ଆନ୍ଧ୍ର କଲେଜ । ବର୍ତ୍ତମାନ ଆନ୍ଧ୍ର ପ୍ରଦେଶରେ ଏହି ସହର ଓ ଏହି କଲେଜ ଅବସ୍ଥିତ ।

 

ଆନ୍ଧ୍ର ପ୍ରଦେଶ ମଧ୍ୟରେ ଏହି ଆନ୍ଧ୍ର ବିଶ୍ୱବିଦ୍ୟାଲୟ କେତେକ ବଦାନ୍ୟ ବ୍ୟକ୍ତିଙ୍କ ଦାନରେ ପ୍ରତିଷ୍ଠିତ ହୋଇଅଛି । ଓଡ଼ିଶାର ଜୟପୁର ରାଜ୍ୟର ପୂର୍ବତନ ରାଜା ଶ୍ରୀ ବିକ୍ରମଦେବ ବର୍ମାଙ୍କ ସାହାଯ୍ୟରେ ଏଠାରେ ମଧ୍ୟ ଏକ ବିଭାଗ ଖୋଲାଯାଇଛି । ଏହା ବିଶ୍ୱବିଦ୍ୟାଳୟର ସେତେବେଳେ ଅଧ୍ୟକ୍ଷ ଥିଲେ ଶ୍ରୀ ଶ୍ରୀନିବାସ ଆୟାଙ୍ଗାର । ସେତେବେଳେ ଶ୍ରୀନବାସ ଆୟାଙ୍ଗାରଙ୍କ ପରି ଧୁରନ୍ଧର ଇଂରାଜୀ ଅଧ୍ୟାପକ ଭାରତରେ ଆଉ ନଥିଲେ । ତେଣୁ ସମଗ୍ର ଭାରତରେ ତାଙ୍କର ଖ୍ୟାତି ପ୍ରଚାରିତ ହୋଇଥିଲା । ଅଧ୍ୟକ୍ଷ ଆୟାଙ୍ଗାରଙ୍କର ବିଜ୍ଞାନ ବିଷୟରେ ମଧ୍ୟ ଦକ୍ଷତା ଥିଲ ।

 

ବାଳକ ରମଣ ହାଇସ୍କୁଲରେ ପଢ଼ିଲାବେଳୁ ବିଜ୍ଞାନ ପଢ଼ାରେ ବିଶେଷ ଆଗ୍ରହୀ ଥିଲେ । ବିଜ୍ଞାନ ଶ୍ରେଣୀରେ ସେ ସବୁବେଳେ ବଡ଼ କୌତୂହଳଜନକ ପ୍ରଶ୍ନ ପଚାରି ଶିକ୍ଷକ ମହାଶୟଙ୍କର ପ୍ରିୟଛାତ୍ର ହୋଇଥିଲେ । ଘରକୁ କୌଣସି ବିଜ୍ଞାନ ପ୍ରଶ୍ନ ଦିଆଯାଇଥିଲେ, ସେ ଅନେକ ରାତି ପର୍ଯ୍ୟନ୍ତ ନ ଖାଇ ନ ଶୋଇ ତାହାର ସାଧନାରେ ଲାଗି ପଡ଼ୁଥିଲେ । ବିଜ୍ଞାନର କଠିନତର ବିଷୟମାନ ସେ ଅତି ସହଜରେ ସମାଧାନ କରିପାରୁଥିଲେ । ଅନ୍ୟାନ୍ୟ ବାଳକମାନଙ୍କୁ ସେ ଅନେକ କଥା ଶିଖାଇ ଦେଉଥିଲେ । ଅତ୍ୟଧିକ ପରିଶ୍ରମ ଯୋଗୁଁ ତାଙ୍କ ସ୍ୱାସ୍ଥ୍ୟ କ୍ରମେ ଭାଙ୍ଗିଗଲା । ତଥାପି ବିଜ୍ଞାନରୁ ତାଙ୍କର ସ୍ପୃହା କମିଲା ନାହିଁ । ସେ ବାରବର୍ଷ ବୟସରେ ମାଟ୍ରିକୁଲେସନ ପରୀକ୍ଷାରେ କୃତିତ୍ୱ ସହ ଉତ୍ତୀର୍ଣ୍ଣ ହୋଇଥଲେ ।

 

ଏହାପରେ ଆନ୍ଧ୍ର କଲେଜରେ ସେ ଆଇ. ଏ. ପଢ଼ିଲେ । ଆଇ. ଏ. ଦୁଇବର୍ଷ ପଢ଼ିସାରି ପରୀକ୍ଷା ଦେଇ ପ୍ରଥମ ଶ୍ରେଣୀରେ ପାସ୍ କଲେ । ଆନ୍ଧ୍ର କଲେଜରେ ତାଙ୍କର ନାମ ସମସ୍ତେ ଜାଣିଲେ; କିନ୍ତୁ ଏହାପରେ ଆଉ ସେ କଲେଜରେ ନ ପଢ଼ି ସେଠାରୁ ମାନ୍ଦ୍ରାଜ ଗଲେ । ମାନ୍ଦ୍ରାଜର ପ୍ରେସିଡେନ୍ସି କଲେଜ ଭାରତର ବଡ଼ ବଡ଼ କଲେଜମାନଙ୍କ ଭିତରୁ ଗୋଟିଏ । ସେହି କଲେଜରେ ସେ ବି. ଏ. କ୍ଲାସରେ ନାମ ଲେଖାଇଲେ । ବନ୍ଧୁମାନେ ତାଙ୍କୁ ଇତିହାସ ନେଇ ବି. ଏ. ପଢ଼ିବାକୁ ପରାମର୍ଶ ଦେଲେ । ସେତେବେଳେ ଭାରତରେ ସରକାରୀ ଚାକିରୀ ଖଣ୍ଡିଏ ପାଇବା ଅତି ଭାଗ୍ୟର କଥା ହୋଇଥାଏ । ସେହି ଚାକିରୀ ଇତିହାସ ପଢ଼ିଥିବା ଛାତ୍ରମାନଙ୍କୁ ସୁବିଧାରେ ମିଳେ । ବନ୍ଧୁ ମାନଙ୍କର ପରାମର୍ଶ ସତ୍ତ୍ୱେ ସେ ଇତିହାସ ନ ପଢ଼ି ବିଜ୍ଞାନ ପଢ଼ିଲେ ।

 

ରମଣ ସେତେବେଳେ ବୟସରେ ତ ଛୋଟ ଥିଲେ । ଦେଖିବାକୁ ପତଳା ଓ ଦୁର୍ବଳ ମଧ୍ୟ ଥିଲେ । ଏପରି ଏକ ଛୋଟ ବାଳକକୁ ବି. ଏ. କ୍ଲାସରେ ଦେଖି ସମସ୍ତଙ୍କ ଦୃଷ୍ଟି ତାଙ୍କର ଉପରେ ପଡ଼ୁଥିଲା । ପ୍ରେସିଡେନ୍‍ସି କଲେଜର ସେତେବେଳେ ଇଂରାଜୀ ଅଧ୍ୟାପକ ଥିଲେ ଶ୍ରୀଯୁକ୍ତ ଇ.ଏଇଚ.ଇଲିୟଟ । ସେ ପ୍ରଥମେ ରମଣଙ୍କୁ ଦେଖି ଭାବିଲେ, ବୋଧହୁଏ ଗୋଟିଏ ଛୋଟ ବାଳକ ଭୁଲରେ ଏ ଶ୍ରେଣୀ ଭିତରକୁ ପଶି ଆସିଛି । ପରେ ରମଣଙ୍କୁ ପାଖକୁ ଡାକି ପଚାରି ବୁଝିଲେ ଯେ, ସେ ପ୍ରକୃତରେ ବି. ଏ. କ୍ଲାସର ଛାତ୍ର ଓ ତାଙ୍କର ବୟସ ମୋଟେ ତେରବର୍ଷ । କଲେଜର ଅନ୍ୟାନ୍ୟ ଅଧ୍ୟାପକମାନେ ରମଣଙ୍କୁ ଦେଖି ଏବଂ ତାଙ୍କର ବ୍ୟବହାର ଓ ଅଧ୍ୟୟନ ଲିପସା ବିଷୟ ଜାଣି ବଡ଼ ସନ୍ତୁଷ୍ଟ ।

 

କଲେଜର ବିଜ୍ଞାନାଗାରରେ ଯେଉଁ ବିଜ୍ଞାନ ତଥ୍ୟର ପରୀକ୍ଷା କରାଯାଏ, ରମଣଙ୍କୁ ସେ ସବୁ ପୁରୁଣା ଲାଗେ । କଲେଜର ଅଧ୍ୟକ୍ଷ ରମଣଙ୍କର ପ୍ରତିଭାର ସୂଚନା ପାଇ ବିଜ୍ଞାନାଗାରରେ ବେଶି ସମୟ ପରୀକ୍ଷା ସେ ଯେପରି କରିପାରିବେ, ସେପରି ସୁବିଧା କରିଦେଇଥିଲେ । ସେତେବେଳେ ସେ ଭୌତିକ ବିଜ୍ଞାନ ସହ ଗଣିତ ବିଜ୍ଞାନ ମଧ୍ୟ ପଢ଼ୁଥିଲେ । ୧୯୦୪ ମସିହାରେ ସେ ବି.ଏ. ପରୀକ୍ଷା ଦେଇଥିଲେ ଏବଂ ପରୀକ୍ଷାରେ ଅତି ଯୋଗ୍ୟତାସହ ପାସ୍ କରିଥିଲେ । ସେ ବର୍ଷ ସମଗ୍ର ବିଶ୍ୱବିଦ୍ୟାଳୟରେ ଶ୍ରୀ ରମଣ ପ୍ରଥମ ସ୍ଥାନ ଅଧିକାର କରି ବି. ଏ. ଉପାଧି ଲାଭ କରିଥିଲେ ।

Image

 

ଏମ୍. ଏ. ଶିକ୍ଷା

 

ଶ୍ରୀରମଣ ବି. ଏ. ପାସ କରିବାପରେ ତାଙ୍କୁ କେତେ ସ୍ୱର୍ଣ୍ଣପଦକ ଓ ପୁରସ୍କାର ମିଳିଲା-। ସେ ଯେତିକି ପାଠ ପଢ଼ିଲେ, ସେତିକି ଜ୍ଞାନ ପିପାସା ମଧ୍ୟ ବଢ଼ିଲା । ବି. ଏ. ପାସ ପରେ ଏମ୍. ଏ. ପଢ଼ିବା ପାଇଁ ତାଙ୍କର ସ୍ପୃହା ଜାତ ହେଲା । ପ୍ରେସିଡେନ୍ସି କଲେଜରେ ଏମ୍. ଏ. ପର୍ଯ୍ୟନ୍ତ ଶିକ୍ଷାର ବନ୍ଦୋବସ୍ତ ସେହି ସମୟଠାରୁ ହୋଇ ସାରିଥିଲା । ଶ୍ରୀରମଣ ଏମ୍. ଏ. କ୍ଲାସରେ ନାମ ଲେଖାଇଲେ । ପ୍ରଫେସରମାନେ ରମଣଙ୍କର ବିଚକ୍ଷଣତା ଦେଖି ତାଙ୍କୁ କଲେଜର ବିଜ୍ଞାନାଗାରରେ ଅଧିକ ସୁବିଧା ଦେଇଥିଲେ । କଲେଜର ପାଠ୍ୟ-ନିର୍ଘଣ୍ଟ ସମୟ ଭିତରେ ମଧ୍ୟ ସେ କଲେଜରେ ଯୋଗ ନଦେଇ ଗବେଷଣା କାର୍ଯ୍ୟରେ ଲାଗିପାରିବେ ବୋଲି ଅଧ୍ୟକ୍ଷ ଅନୁମତି ଦେଇଥିଲେ । ସେ ଭୌତିକ ଓ ଗଣିତ ବିଜ୍ଞାନର ଗବେଷଣାରେ ଲାଗିପଡ଼ିଲେ ।

 

ଏହି ସମୟରେ ରମଣଙ୍କର ଜଣେ ସହପାଠୀ ଶ୍ରୀ ବି. ଆପପାରାଓ ବିଜ୍ଞାନ ବିଷୟରେ ଗୋଟିର ତଥ୍ୟ ବୁଝାଇବାପାଇଁ କଲେଜର ବିଜ୍ଞାନ ଅଧ୍ୟାପକ ମି. ଜୋନ୍ସଙ୍କ ପାଖକୁ ଗଲେ । ସେ ତଥ୍ୟର ସମାଧାନ ସେ କରି ପାରିଲେ ନାହିଁ । ଶ୍ରୀରମଣ ସେ ତଥ୍ୟର ସମାଧାନରେ ଲାଗିପଡ଼ିଲେ ଓ ଅଳ୍ପଦିନ ପରେ ତାହାକୁ ଏକ ନୂତନ ଉପାୟରେ ସମାଧାନ କରି ମି. ଜୋନ୍ସଙ୍କୁ ତାହା ଦେଖିବା ପାଇଁ ଦେଲେ । ମି. ଜୋନ୍ସ କ’ଣ ବିଚାରିଲେ କେଜାଣି, ସେ ସମାଧାନଟିକୁ ଦେଖିବେ ବୋଲ କହି, ଅନେକ ଦିନ ବିଳମ୍ବ କଲେ । ଦିନେ ଶ୍ରୀରମଣ ତଥ୍ୟଟିକୁ ଆଉ ଥରେ ଦେଖିବେ ବୋଲି କହି ମାଗି ଆଣିଲେ । ସେ ସମ୍ବନ୍ଧରେ ଏକ ଲେଖା ଲେଖି ଇଂଲଣ୍ଡର ଗୋଟିଏ ନାମଜାଦା ପତ୍ରିକାକୁ ପଠାଇଦେଲେ । କାରଣ ସେପରି ଲେଖା ବାହାରିବା ପାଇଁ ଆମ ଭାରତରେ ପତ୍ରିକା ସେତେବେଳେ ନ ଥିଲା । ଇଂଲଣ୍ଡର ପତ୍ରିକାର ସମ୍ପାଦକ ସେ ଲେଖାଟି ତାଙ୍କ ପତ୍ରିକାରେ ପ୍ରକାଶ ପାଇବାର ଯୋଗ୍ୟ ଦେଖି ତାହାକୁ ଛପାଇ ପ୍ରୃଫ କପିଟିକୁ ସଂଶୋଧନ ପାଇଁ ଶ୍ରୀରମଣଙ୍କ ପାଖକୁ ପଠାଇଲେ । ଶ୍ରୀରମଣ ତାହାକୁ ତାଙ୍କ ଅଧ୍ୟାପକଙ୍କ ନିକଟକୁ ନେଇ ଦେଖାଇଲେ । ମି. ଜୋନ୍ସ୍ ଏହା ଦେଖି ବଡ଼ ବିସ୍ମିତ ହେଲେ । କିଛିଦନ ପରେ ସେ ଲେଖାଟି ଇଂଲଣ୍ଡର ଫିଲୋସଫିକାଲ ପତ୍ରିକାରେ ପ୍ରକାଶିତ ହେଲା । ଶ୍ରୀରମଣ ପ୍ରଥମେ ଜନନେତ୍ର ଗୋଚରକୁ ଆସିଲେ।

 

୧୯୦୭ ମସିହାରେ ଶ୍ରୀରମଣ ଯୋଗ୍ୟତାର ସହ ପ୍ରଥମ ଶ୍ରେଣୀରେ ଏମ୍ ଏ. ପାସ୍ କଲେ । ସେତେବେଳକୁ ତାଙ୍କର ବୟସ ମୋଟେ ଅଠରବର୍ଷ ମାତ୍ର । ସେ ପ୍ରଥମେ ଭୌତିକ ବିଜ୍ଞାନ ବିଷୟରେ ମାନ୍ଦ୍ରାଜ ବିଶ୍ୱବିଦ୍ୟାଳୟରୁ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ-। ଭୌତିକ ବିଜ୍ଞାନରେ ବେଶି ପଢ଼ିବା ପାଇଁ ଇଚ୍ଛା ଥିଲେ ସୁଦ୍ଧା, ଆଉ ସୁବଧା ନ ଥିଲା ।

Image

 

ଡେପୁଟି ଡାଇରେକ୍ଟର ଜେନେରାଲ

 

ସ୍ଵାଧୀନ ଦେଶରେ ଲୋକମାନଙ୍କର ସବୁପ୍ରକାର ଉନ୍ନତି ପାଇଁ ବନ୍ଦୋବସ୍ତ କରାଯାଏ । ଶ୍ରୀ ରମଣ ଯେତେବେଳେ ଏମ୍. ଏ. ପାଶ୍ କରିସାରିଲେ, ସେତେବେଳକୁ ଆମ ଦେଶ ଇଂରେଜମାନଙ୍କ ଅଧୀନରେ ଥାଏ । କୌଣସି ବିଷୟରେ ଉଚ୍ଚତମ ଶିକ୍ଷା ପାଇବାକୁ ଇଚ୍ଛା ହେଲେ, ଇଂଲଣ୍ଡ ଗଲେ ସେ ଶିକ୍ଷା ମିଳିବ, ନ ହେଲେ କର୍ମକୁ ଆଦରି ରହିବା କଥା । ସେଥିପାଇଁ ଆମ ଦେଶରେ କେତେ ବୁଦ୍ଧିମାନ ବିଚକ୍ଷଣ ଛାତ୍ର ଇଂଲଣ୍ଡ ଯାଇ ନ ପାରି ନୀରବ ରହୁଥିଲେ ।

 

ଶ୍ରୀରମଣଙ୍କର ବୁଦ୍ଧିମତ୍ତାରେ ତାଙ୍କର ଭୌତିକ ବିଜ୍ଞାନ ଅଧ୍ୟାପକ ବଡ଼ ସନ୍ତୁଷ୍ଟ ଥିଲେ । ସେ ରମଣଙ୍କୁ ଇଂଲଣ୍ଡ ଯିବାପାଇଁ ସୁପାରିସ୍ କଲେ । ସମସ୍ତ ସୁବିଧା କରିଦେବେ ବୋଲି କହିଲେ । ଭାରତ ସରକାରଙ୍କ ପାଖକୁ ଶ୍ରୀରମଣଙ୍କର ବିଚକ୍ଷଣତା ବିଷୟରେ ସୁପାରିସ କରି ଖଣ୍ଡିଏ ପତ୍ର ଲେଖିଲେ । ତା ଫଳରେ ରମଣଙ୍କୁ ଇଂଲଣ୍ଡ ଯିବାକୁ ଅନୁମତି ଓ ଏକ ବୃତ୍ତି ମଧ୍ୟ ମିଳିଲା । ଶ୍ରୀରମଣ ଏଥିରେ ବିଶେଷ ସନ୍ତୁଷ୍ଟ ହେଲେ ।

 

ଇଂଲଣ୍ଡ ଯିବା ପୂର୍ବରୁ ଜଣେ ଇଂଲଣ୍ଡର ଡାକ୍ତର ଯାତ୍ରୀଙ୍କୁ ପରୀକ୍ଷା କରନ୍ତି । ରମଣ ଡାକ୍ତରଙ୍କଦ୍ୱାରା ପରୀଷିତ ହେଲେ । ସେ ଡାକ୍ତର ତାଙ୍କୁ ଇଂଲଣ୍ଡ ଯିବାକୁ ମନା କରିଦେଲେ ଓ କହିଲେ ଯେ ତାଙ୍କର ସ୍ୱାସ୍ଥ୍ୟ ଦୃଷ୍ଟିରୁ ଇଂଲଣ୍ଡ ଯିବା ଉଚିତ ହେବ ନାହିଁ । କାରଣ ସେ ସମୁଦ୍ର ଯାତ୍ରା ସହ୍ୟ କରିପାରିବେ ନାହିଁ । ଶ୍ରୀରମଣ କିଂକର୍ତ୍ତବ୍ୟବିମୂଢ଼ ହୋଇ ରହିଲେ । କେହି କେହି ତାଙ୍କୁ ଓକିଲାତି କରିବା ପାଇଁ ବା ଅଧ୍ୟାପକତ୍ୱ କରିବାପାଇଁ ପରାମର୍ଶ ଦେଲେ; କିନ୍ତୁ ଶ୍ରୀରମଣଙ୍କର ସେଥିରେ ମନ ବଳିଲା ନାହିଁ ।

 

ସେତେବେଳେ ଭାରତ ସରକାରଙ୍କ ଅଧୀନରେ ବଡ଼ ବଡ଼ ଚାକିରୀ ନିମିତ୍ତ ବଛା ବଛି ପରୀକ୍ଷା ଇଂଲଣ୍ଡରେ ହେଉଥିଲା । କେବଳ ଅର୍ଥ ବିଭାଗର ଉଚ୍ଚପଦଗୁଡ଼ିକ ପାଇଁ ଭାରତରେ ଉପଯୁକ୍ତ ଲୋକ ବଛା ଯାଉଥିଲେ । ଭାରତର ବିଭିନ୍ନ ଅଞ୍ଚଳରୁ ଏ ପରୀକ୍ଷା ଦେବାପାଇଁ ପ୍ରାର୍ଥୀମାନେ କଲିକତା ଆସୁଥିଲେ । କଲିକତା ଏ ବଛା ବଛି ପରୀକ୍ଷାର କେନ୍ଦ୍ର ଥିଲା ।

 

ଶ୍ରୀରମଣଙ୍କର ଅଧ୍ୟାପକ ଏ ଚାକିରୀ ନିମିତ୍ତ ଚେଷ୍ଟା କରିବା ପାଇଁ ତାଙ୍କୁ ପରାମର୍ଶ ଦେଇଥିଲେ । ସେ ଅଧ୍ୟାପକଙ୍କ ପରାମର୍ଶ ଅନୁସାରେ କଲିକତା ଆସିଲେ । ଏ ପରୀକ୍ଷାରେ ସାହିତ୍ୟ, ଇତିହାସ, ରାଜନୀତି, ବିଜ୍ଞାନ, ସଂସ୍କୃତ ପ୍ରଭୃତି ନାନା ବିଷୟରେ ବଡ଼ କଠିନ ପରୀକ୍ଷା ହୁଏ । ଏସବୁ ବିଷୟଗୁଡ଼ିକ ସେ ଆଗରୁ ପଢ଼ି ନ ଥିଲେ । ତେଣୁ ଅଳ୍ପଦିନ ମଧ୍ୟରେ କଠିନ ପରିଶ୍ରମ କରି ଏ ବିଷୟଗୁଡ଼ିକ ପଢ଼ିଲେ ଓ ପରୀକ୍ଷା ଦେଲେ । ଅଳ୍ପଦିନ ପରେ ଜଣାପଡ଼ିଲା ଯେ, ସେ ପରୀକ୍ଷାରେ ପ୍ରଥମ ହୋଇ ପାସ୍ କରିଛନ୍ତି । ତେଣୁ ତାଙ୍କୁ ପ୍ରଥମେ ଚାକିରୀ ମିଳିବା କଥା ।

 

କିନ୍ତୁ ଏ ଦିଗରେ ମଧ୍ୟ ଗୋଟିଏ ବାଧା ଆସି ପହଞ୍ଚିଲା । ସେତେବେଳକୁ ତାଙ୍କର ବୟସ ୨୦ ପୂରି ନ ଥାଏ । ଏତେ କମ୍ ବୟସରେ ଜଣେ ବାଳକ ହାତରେ ସରକାରଙ୍କର ଅର୍ଥବିଭାଗର ଦାୟିତ୍ୱପୂର୍ଣ୍ଣ କାମ କିପରି ଦିଆଯିବ ? ଆଗରୁ କୋଡ଼ିଏ ବର୍ଷ ବୟସର କେହି ଏ ପଦ କେବେ ଗ୍ରହଣ କରି ନାହାନ୍ତି; କିନ୍ତୁ ସରକାରଙ୍କର ଆଉ ଉପାୟ ନ ଥିଲା । ଏମ୍ . ଏ. ପାଶ୍ କରିଥିବା ଓ ଏମ୍. ଏ. ପରୀକ୍ଷାରେ ପ୍ରଥମ ହୋଇ ପାଶ୍ କରିଥିବା ପ୍ରାର୍ଥୀ ଯଦି ପ୍ରଥମେ ଚାକିରୀ ନ ପାଇବେ, ତେବେ କିଏ ପାଇବ ? ଅନେକ ଆଲୋଚନା ପରେ ଶ୍ରୀ ରମଣଙ୍କୁ ଚାକିରୀ ଦେବା ଠିକ୍ ହେଲା । ଭାରତ ସରକାରଙ୍କର ଅର୍ଥ ବିଭାଗର ଡେପୁଟୀ ଡାଇରେକ୍ଟର ଜେନେରାଲ ପଦରେ ଶ୍ରୀ ରମଣ ନିଯୁକ୍ତ ହେଲେ । କଲିକତା ସହରରେ ତାଙ୍କୁ ରହିବାକୁ ପଡ଼ିଲା ।

Image

 

ଶୁଭ ପରିଣୟ

 

ଶ୍ରୀରମଣଙ୍କ ଜୀବନର ଉଦ୍ଦେଶ୍ୟ ତ ପୂରଣ ହୋଇ ନ ଥିଲା । ତେବେ ଅନ୍ୟଦିଗରେ ତାଙ୍କର ଆର୍ଥିକ ଅବସ୍ଥା ମଧ୍ୟ ଅତିଶୟ ସ୍ୱଚ୍ଛଳ ନ ଥିଲା । ଆର୍ଥିକ ଅବସ୍ଥାର ସମାଧାନ ପାଇଁ ବର୍ତ୍ତମାନ ଆଉ ଚିନ୍ତା କରିବା ଦରକାର ପଡ଼ିଲା ନାହିଁ । ମାନ ସମ୍ମାନ, ଧନ ସବୁ ମିଳିଲା । ଏଣିକି ସାଂସାରକ ଜୀବନରେ ପୂର୍ଣ୍ଣତା ଆଣିବାପାଇଁ ଆଉ ଗୋଟିଏ କାମ ବାକୀ ଥିଲା ।

 

ସାଧାରଣତଃ ବ୍ରାହ୍ମଣ ପରିବାରରେ ବାଳକ ବାଳିକା ମାନଙ୍କୁ ଅଳ୍ପ ବୟସରେ ବିବାହ କରିଦେବା ଆମ ଦେଶର ଏକ ପୁରାତନ ପ୍ରଥା । ସାରା ଭାରତର ସବୁ ସ୍ଥାନରେ ଏ ପ୍ରଥା ଏକାପରି ରହି ଆସିଛି । ଶ୍ରୀ ରମଣ ତ ବ୍ରାହ୍ମଣ ବଂଶରେ ଜନ୍ମ ଗ୍ରହଣ କରିଥିଲେ, ପୁଣି ଦକ୍ଷିଣ ଭାରତରେ ଏ ପ୍ରଥାର ପ୍ରଚଳନ ଅନ୍ୟାନ୍ୟ ଅଞ୍ଚଳଠାରୁ ବେଶି ଥିଲା । ଶ୍ରୀରମଣଙ୍କୁ କୋଡ଼ିଏ ବର୍ଷ ବୟସ ହେଲାଣି, ଅଥଚ ସେ ବିବାହ ହୋଇ ନାହାନ୍ତି, ଗାଁର ବ୍ରାହ୍ମଣ ସମାଜ ପାଖ ପଡ଼ିଶା ଲେକେ ସମସ୍ତେ ଏ କଥା ଘୋଷି ହେଲେ ।

 

ସେତେବେଳେ ମାନ୍ଦ୍ରାଜ ନୌ ବିଭାଗର ସୁପରିଣ୍ଟେଣ୍ଡେଣ୍ଟ ଥିଲେ ଶ୍ରୀଯୁକ୍ତ କୃଷ୍ଣସ୍ୱାମୀ ଅଟ୍ୟର । ସେ ବଡ଼ ସରଳ ଓ ମେଳାପୀ ଲୋକ ଥିଲେ । କୃଷ୍ଣସ୍ୱାମୀଙ୍କ ସ୍ତ୍ରୀଙ୍କ ନାମ ଶ୍ରୀମତୀ ଋକ୍ମଣୀ ଦେବୀ । ପିଲାଦିନରେ ଶ୍ରୀରମଣ କେତେ ଥର ତାଙ୍କ ଘରକୁ ଯାଇଥିଲେ । ସେତିକିବେଳୁ ଶ୍ରୀଯୁକ୍ତ କୃଷ୍ଣସ୍ୱାମୀଙ୍କ ସ୍ତ୍ରୀ ଋକ୍ମଣୀ ମନେ ମନେ ରମଣଙ୍କୁ ତାଙ୍କ କନ୍ୟାର ଉପଯୁକ୍ତ ପାତ୍ର ବୋଲି ଠିକ୍ କରି ନେଇଥିଲେ । ହେଲେ କୃଷ୍ଣସ୍ୱାମୀ ଓ ରମଣଙ୍କ ବଂଶ ଭିତରେ ଟିକିଏ ଉଚ୍ଚ ନୀଚ ଥିଲା । କୃଷ୍ଣସ୍ୱାମୀଙ୍କ ବଂଶ ଟିକିଏ ଉଚ୍ଚ ।

 

ଶ୍ରୀରମଣ ଯେତେବେଳେ ଏଡ଼େ ବଡ଼ ଚାକିରୀ ପାଇ ସାରିଲେ, ସେ ଏ ସମାଜ ଭିତରେ ଉଚ୍ଚନୀଚତା ପ୍ରତି ବେଶି ଦୃଷ୍ଟି ଦେଉ ନଥିଲେ । କୃଷ୍ଣସ୍ୱାମୀ ବି ଖୁବ୍ ଉଚ୍ଚ ଶିକ୍ଷିତ; କିନ୍ତୁ ଯେତେବେଳେ ଏ ବିବାହ ପ୍ରସ୍ତାବ ଆସିଲା, ତାଙ୍କ ସମାଜର ବ୍ରାହ୍ମଣ ମାନେ ଏ ବିବାହର ବିରୋଧ କଲେ । କୃଷ୍ଣସ୍ୱାମୀ ଏ ସବୁ ପ୍ରତି ଦୃଷ୍ଟିପାତ କଲେନାହଁ । ଶିକ୍ଷିତ, ସଭ୍ୟ ପୁଣି ଉଚ୍ଚ ପଦରେ ଅଭିଷିକ୍ତ ଦେଖି ସେ ତାଙ୍କ କନ୍ୟାକୁ ଶ୍ରୀରମଣଙ୍କ ହସ୍ତରେ ପ୍ରଦାନ କରିବେ ବୋଲି ନିଶ୍ଚୟ କଲେ ।

 

କିଛି ଦିନ ପରେ ଶୁଭଲଗ୍ନରେ ବିବାହ ସଂପନ୍ନ ହେଲା । ମହାସମାରୋହ ଭିତରେ ବରବଧୂ ବନ୍ଧୁ ବାନ୍ଧବମାନଙ୍କଠାରୁ ଆଶୀର୍ବାଦ ଲାଭକଲେ । ଶ୍ରୀଯୁକ୍ତ ରମଣ ଉଚ୍ଚଶିକ୍ଷିତ ଥିଲେ, ତାଙ୍କ ସହଧର୍ମିଣୀ ମଧ୍ୟ ଶିକ୍ଷିତା ଥିଲେ । ବିବାହର ଅଳ୍ପ ଦିନ ପରେ ଶ୍ରୀ ରମଣ ଓ ଶ୍ରୀମତି ରମଣ ଦୁହେଁ କଲିକତାକୁ ଆସିଲେ । କାର୍ଯ୍ୟ କ୍ଷେତ୍ରର ଦାୟିତ୍ୱ ଭିତରେ ଉଭୟେ ସମୟ କଟାଇବାକୁ ଲାଗିଲେ ।

Image

 

କର୍ମକ୍ଷେତ୍ର

 

କଲିକତାରେ ଦିନେ ଶ୍ରୀ ରମଣ ଟ୍ରାମରେ ବସି ଡେଲହାଉସି ସ୍କୋୟାର ବାଟେ ଯାଉଥିଲେ । ସେତିକିବେଳେ ଗୋଟିଏ ବିଜ୍ଞାପନ ସେ ଦେଖିଲେ । ସେଥିରେ ଲେଖାଥିଲା–ଭାରତୀୟ ବୈଜ୍ଞାନିକ ଅନୁସନ୍ଧାନ ପରିଷଦ ।’ ସେହିକ୍ଷଣି ସେଠାରେ ଟ୍ରାମରୁ ଓହ୍ଲାଇଲେ ଓ ସେ ପରିଷଦ ଭବନକୁ ଗଲେ । ସେତିକିବେଳେ ପରିଷଦ ଭବନରେ ଗୋଟିଏ ସଭା ବସିଥାଏ । ସଭାରେ କଲିକତା ବିଶ୍ୱବିଦ୍ୟାଳୟର ପ୍ରସିଦ୍ଧ କୁଳପତି ଶ୍ରୀ ଆଶୁତୋଷ ମୁଖାର୍ଜି ସଭାପତି ଆସନରେ ବସିଥାନ୍ତ । ଶ୍ରୀଯୁକ୍ତ ରମଣ ସଭାକୁ ଯିବା ଉଚିତ ମନେ କଲେନାହଁ । ପରିଷଦର ସମ୍ପାଦକଙ୍କ ସଙ୍ଗରେ ନିଜର ବୈଜ୍ଞାନିକ ଗବେଷଣା କଥା ଟିକିଏ ଆଲୋଚନା କଲେ । ସମ୍ପାଦକ ମହାଶୟ ତାଙ୍କର ବିଜ୍ଞାନରେ ପାରଦର୍ଶିତା ଦେଖି ପରିଷଦର ଜଣେ ସଭ୍ୟ ଭାବରେ ନେବାପାଇଁ ସବୁ ସୁବିଧା କରିଦେବେ ବୋଲି ଆପେ ଆପେ କହିଲେ । କିଛି ଦିନ ପରେ ସେ ପରିଷଦରେ ସଭ୍ୟ ରୂପେ ଯୋଗଦେଲେ ।

 

ପରିଷଦର ଗୋଟିଏ ବୈଜ୍ଞାନିକ ପତ୍ରିକା ବାହାରୁଥିଲା । ସେ ପତ୍ରିକାରେ ତାଙ୍କର ତଥ୍ୟଗୁଡ଼ିକ ଆଲୋଚନା କରିବାର ସୁବିଧା ପାଇଲେ । ସେ ପରିଷଦରେ ବୈଜ୍ଞାନିକ ଯନ୍ତ୍ର ବେଶି ନ ଥିଲା । ଶ୍ରୀରମଣ ତାଙ୍କର ନୂତନ ଆବିଷ୍କୃତ ତଥ୍ୟଗୁଡ଼ିକୁ ବିଜ୍ଞାନାଗାରରେ ପରୀକ୍ଷା କରିବା ପାଇଁ ସୁବିଧା ପାଉ ନ ଥିଲେ । ତେବେ ପରିଷଦ ଯୋଗୁଁ ଭାରତର ବଡ଼ ବଡ଼ ବୈଜ୍ଞାନିକମାନଙ୍କ ସହିତ ତାଙ୍କର ପରିଚୟ ହେଲା ଓ ତାଙ୍କର ଆଲୋଚନା କ୍ଷେତ୍ର କ୍ରମେ ବଢ଼ିଲା, କିନ୍ତୁ ଏ ସୁବଧା ବେଶି ଦିନ ମିଳିଲା ନାହିଁ । କଲିକତାରେ ତିନି ବର୍ଷ କାମ କରିବା ପରେ ତାଙ୍କର ରେଙ୍ଗୁନ ସହରକୁ ବଦଳ ହୋଇଗଲା । ବୈଜ୍ଞାନିକ ଆଲୋଚନା ପାଇଁ ରେଙ୍ଗୁନ ପ୍ରଶସ୍ତ କ୍ଷେତ୍ର ନ ଥିଲା । ତେଣୁ ନିଜର କର୍ମକ୍ଷେତ୍ର ଭିତରେ ତାଙ୍କୁ ନିବିଷ୍ଟ ରହିବାକୁ ପଡ଼ୁଥିଲା ।

 

୧୯୪୦ ମସିହାରେ ସେ ଯେତେବେଳେ ରେଙ୍ଗୁନରେ ଥିଲେ, ସେତେବେଳେ ପିତାଙ୍କର ମୃତ୍ୟୁ ହେଲା । ସେ ଛଅ ମାସ ଛୁଟିନେଇ ଘରକୁ ଆସିଲେ । ଏହି ଛଅ ମାସ ଅବକାଶ ମଧ୍ୟରେ ସେ ବରାବର ମାନ୍ଦ୍ରାଜ ସହରରେ ରହୁଥିଲେ ଓ ସେଠା ପ୍ରେସିଡେନ୍ସି କଲେଜର ବିଜ୍ଞାନାଗାରରେ ତାଙ୍କର ଗବେଷଣା କାର୍ଯ୍ୟ ଚଳାଇ ଥଲେ । ଏ ଛଅମାସ ଛୁଟି ସରିଲାବେଳକୁ ତାଙ୍କର ନାଗପୁର ବଦଳି ହେଲା । ନାଗପୁରରେ ବିଜ୍ଞାନାଗାରର ମଧ୍ୟ ସୁବିଧା ନ ଥିଲା । ତେଣୁ ସେ ନିଜେ ଏକ ବିଜ୍ଞାନାଗାର ଖୋଲିଲେ । କର୍ମକ୍ଷେତ୍ରରୁ ଫେରିବା ପରେ ସେ ସେହି ବିଜ୍ଞାନାଗାରରେ ନିଜର ବୈଜ୍ଞାନିକ ତଥ୍ୟ ଅନୁସନ୍ଧାନରେ ଲାଗି ପଡ଼ିଥିଲେ । ନାଗପୁରରେ ବର୍ଷେ ରହିବା ପରେ ଆଉଥରେ କଲିକତା ବଦଳି ହେଲା । ଏଥର ସେ କଲିକତାରେ ଡାକବିଭାଗର ଏକାଉଣ୍ଟାଣ୍ଟ ଜେନେରାଲ ପଦରେ ନିଯୁକ୍ତ ହୋଇଥିଲେ । ୧୯୧୧ ମସିହାଠାରୁ ୧୯୧୭ ମସିହା ପର୍ଯ୍ୟନ୍ତ ସେ କଲିକତାରେ ରହି ବିଜ୍ଞାନ ପରିଷଦର ପ୍ରୟୋଗ ଭବନରେ ତାଙ୍କର ତଥ୍ୟ ଗବେଷଣାରେ ଲାଗିପଡ଼ିଲେ । ଏସବୁ କାମ କରୁଥିଲେ ସୁଦ୍ଧା ସେ ନିଜ କର୍ତ୍ତବ୍ୟ ପ୍ରତି ଟିକିଏ ସୁଦ୍ଧା ଅବହେଳା କରୁ ନ ଥିଲେ । ତେଣୁ ଉପରିସ୍ଥ ଓ ବିଭାଗୀୟ କର୍ତ୍ତାମାନେ ତାଙ୍କ ଉପରେ ସନ୍ତୁଷ୍ଟ ଥିଲେ ।

Image

 

ଅଧ୍ୟାପକ ଜୀବନ

 

ଭାରତ ସରକାରଙ୍କ ଅଧୀନରେ ଦୁଇଟି ଦାୟିତ୍ୱପୂର୍ଣ୍ଣ ପଦରେ ଅନେକ ଦିନ କାମ କରି ତାଙ୍କର ନାମ ବଢ଼ିଲା ଓ କାର୍ଯ୍ୟରେ ମଧ୍ୟ ଦକ୍ଷତା ଜନ୍ମିଲା । ସରକାରଙ୍କର କୌଣସି ଜଟିଳ ବିଷୟର ସମାଧାନ କରିବା ଦରକାର ପଡ଼ିଲେ, ଶ୍ରୀ ରମଣଙ୍କୁ ଡକାଯାଏ । ଆୟ ବ୍ୟୟ ନିରୀକ୍ଷଣ, ବଜେଟ ପ୍ରଣୟନ, ମୁଦ୍ରା ସଂପର୍କୀୟ କଠିନ ସମସ୍ୟାକୁ ଶ୍ରୀରମଣ ଅତି ସହଜରେ ସମାଧାନ କରି ଦେଉଥିଲେ। ତେଣୁ ଭାରତ ସରକାର, ତାଙ୍କୁ ପ୍ରଧାନ ସେକ୍ରେଟେରୀଏଟ୍ରେ ରଖିବା ପାଇଁ ଠିକ୍ କଲେ !

 

ଏତିକିବେଳକୁ ୧୯୧୬ ମସିହା । କଲିକତା ବିଶ୍ୱବିଦ୍ୟାଳୟର କର୍ମକର୍ତ୍ତାମାନେ ତାଙ୍କର ଭୌତିକ ବିଜ୍ଞାନରେ ପାରଙ୍ଗମତା ଦେଖି ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଭାବରେ ନିଯୁକ୍ତ କରିବା ପାଇଁ ଇଚ୍ଛା କରୁଥାନ୍ତି; କିନ୍ତୁ ଶ୍ରୀରମଣ ସେକ୍ରେଟେରୀଏଟରୁ ସେଠାକୁ ଯିବା ପାଇଁ ରାଜି ହେଲେନାହଁ । ଶ୍ରୀଯୁକ୍ତ ଆଶୁତୋଷ ମୁଖାର୍ଜି ତାଙ୍କୁ ନାନାପ୍ରକାର ବୁଝାସୁଝା କରି ପରେ ରାଜି କରାଇଲେ । ୧୯୧୭ ମସିହାରେ ଶ୍ରୀଯୁକ୍ତ ରମଣ, ଭାରତ ସରକାରଙ୍କ ଅଧୀନରୁ ଚାକିରୀ ଛାଡ଼ି, ଧନର ମୋହ ପରିତ୍ୟାଗ କରି ଅଧ୍ୟାପକ ହେବାକୁ ରାଜି ହେଲେ । ସେତେବେଳେ ତାଙ୍କର ଏ ଅନୁପମ ତ୍ୟାଗ ଓ ବିଦ୍ୟାନୁରାଗ ଦେଖି ସାରା ଭାରତରେ ଲେକେ ଆଶ୍ଚର୍ଯ୍ୟ ହେଲେ ।

 

କଲିକତା ବିଶ୍ୱବିଦ୍ୟାଳୟର ବିଜ୍ଞାନ ବିଭାଗ ସତେଜ ହୋଇ ଉଠିଲା । ଦୂର ଦୁରାନ୍ତରରୁ ଛାତ୍ରମାନେ ସେଠାକୁ ଧାଇଁଲେ । କଲିକତା ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ମି. ଆର୍ଚ୍ଚବାଲ୍‌ଡ଼ ତାଙ୍କର ଗୁଣ ଓ ବିଦ୍ୟାଦାନ ପ୍ରଣାଳୀରେ ମୁଗ୍ଧ ହୋଇ ତାଙ୍କୁ ବଡ଼ ଆଦର କରୁଥିଲେ । କଲିକତା ସହରରେ ବଡ଼ ବଡ଼ ବୈଜ୍ଞାନିକମାନଙ୍କ ସହିତ ମିଶିବାର ସେ ସୁବିଧା ପାଇଲେ ଓ ବିଦ୍ୟାଳୟର ଅଧ୍ୟାପକ ଥିବାବେଳେ ତାଙ୍କର ନାଁ ସମଗ୍ର ପୃଥିବୀରେ ଭିନ୍ନ ଭିନ୍ନ ଦେଶରେ ପ୍ରଚାରିତ ହେଲା । ସାର୍ ଆଶୁତୋଷ ମୁଖାର୍ଜିଙ୍କ ସଙ୍ଗ ଲାଭକରି ତାଙ୍କର ବିଶେଷ ଉପକାର ହେଲା । ବିଜ୍ଞାନ ପରିଷଦର ଜଣେ ବିଶିଷ୍ଟ ସଭ୍ୟ ଭାବରେ ତାଙ୍କର ସୁନାମ ଭାରତ ଓ ପୃଥିବୀରେ ମଧ୍ୟ ପ୍ରଚାରିତ ହେଲା ।

Image

 

ବିଲାତ ଯାତ୍ରା

 

ଭାରତୀୟ ବିଜ୍ଞାନ ପରିଷଦର ଉପସଭାପତି ପଦରେ ଆସୀନ ହୋଇ ଶ୍ରୀଯୁକ୍ତ ରମଣ ବିଜ୍ଞାନ ଆଲୋଚନା ଓ ଭାରତରେ ବିଜ୍ଞାନ କ୍ଷେତ୍ରର ପରିସର ବୃଦ୍ଧିରେ ଲାଗି ପଡ଼ିଲେ । ବନ୍ଧୁମାନେ ତାଙ୍କୁ ଅନେକ ଥର ବିଦେଶକୁ ଯିବାପାଇଁ ପରାମର୍ଶ ଦେଉଥିଲେ । ଦେଶର ବଡ଼ ବଡ଼ ବୈଜ୍ଞାନିକମାନଙ୍କ ସଂସ୍ପର୍ଶରେ ଆସିଲେ, ତାଙ୍କର ତଥ୍ୟଗୁଡ଼ିକ ପୃଥିବୀର ସଭ୍ୟଦେଶମାନଙ୍କରେ ପ୍ରଚାର ହେବାପାଇଁ ସୁଯୋଗ ମିଳିପାରିବ; କିନ୍ତୁ ବିଦେଶକୁ ଯିବାପାଇଁ ସେ ସୁବିଧା ସୁଯୋଗ ପାଇ ନ ଥିଲେ ।

 

୧୯୨୧ ମସିହାରେ ବ୍ରିଟିଶ ସାମ୍ରାଜ୍ୟର ବିଶ୍ୱବିଦ୍ୟାଳୟମାନଙ୍କର ଏକ ଅଧିବେଶନ ଇଂଲଣ୍ଡର ଓ ପୃଥିବୀର ବୃହତ୍ତମ ସହର ଲଣ୍ଡନରେ ବସୁଥିଲା । କଲିକତା ବିଶ୍ୱବିଦ୍ୟାଳୟର କର୍ମକର୍ତ୍ତାମାନେ ଶ୍ରୀଯୁକ୍ତ ରମଣଙ୍କୁ ବିଶ୍ୱବିଦ୍ୟାଳୟ ତରଫରୁ ପ୍ରତିନିଧି ମନୋନୀତ କଲେ । ପୁଣି ସାର୍ ଆଶୁତୋଷ ତାଙ୍କୁ ଏ ଅଧିବେଶନରେ ଯୋଗଦେବା ପାଇଁ ବିଶେଷ ଅନୁରୋଧ କରିଥିଲେ । ଶ୍ରୀଯୁକ୍ତ ରମଣ ପ୍ରଥମ ବିଦେଶ ଯାତ୍ରାରେ ବାହାରିଲେ । ଇଂଲଣ୍ଡର ଏ ଅଧିବେଶନରେ ସେ ବିଶେଷ ଭାଗ ନେଇଥିଲେ । ସେହିଠାରେ ତାଙ୍କର ଗୁଣ ଗରିମାର ପରିଚୟ ମିଳିଲା । ସାରା ଇଂଲଣ୍ଡର ବଡ଼ ବଡ଼ ବୈଜ୍ଞାନିକମାନେ ତାଙ୍କୁ ସ୍ୱାଗତ ଜଣାଇଲେ । ସେ ଏଥିର ଯାତ୍ରାକାଳରେ ଇଂଲଣ୍ଡରେ ଅଳ୍ପଦିନ ରହିଥିଲେ; କିନ୍ତୁ ଏହି ଅଳ୍ପକାଳ ମଧ୍ୟରେ ଇଂଲଣ୍ଡର ବଡ଼ ବଡ଼ ସହରରେ ତାଙ୍କର ଆବିଷ୍କୃତ ବୈଜ୍ଞାନକ ତଥ୍ୟଗୁଡ଼ିକ ବିଷୟରେ ଭାଷଣ ଦେଇ ଲୋକମାନଙ୍କୁ ଚମତ୍କିତ କରି ପକାଇଥିଲେ ।

 

ଇଂଲଣ୍ଡ ଯାତ୍ରାବେଳେ ସେ ଆଉ ଗୋଟିଏ ନୂତନ ତଥ୍ୟ ପାଇଥିଲେ । ସମୁଦ୍ରର ବିଶାଳ ବପୁ ତାଙ୍କର ନୟନଗୋଚର ହେଲା ସମୁଦ୍ରର ରଙ୍ଗ ନୀଳ କାହିଁକି ? ଏ ପ୍ରଶ୍ନ ତାଙ୍କ ମନରେ ଆନ୍ଦୋଳିତ ହେଲା । ଅନେକ ସମୟ ଚିନ୍ତାକରି ସେ ଠିକ୍‌କଲେ ସମୁଦ୍ରର ଲହରୀ ଉପରେ ଆଲୋକର ସ୍ପର୍ଶଯୋଗୁଁ ଏପରି ରଙ୍ଗ ଦେଖାଯାଉଛି । ବୈଜ୍ଞାନିକ ଦୃଷ୍ଟିରେ ପ୍ରତ୍ୟେକ ଜିନିଷ ନୂତନ ନୂତନ ରୂପରେ ଦେଖାଯାଏ । ତାଙ୍କର ବିଲାତ ଯାତ୍ରା ଏକ ଅଭିନବ ତଥ୍ୟ ପ୍ରକାଶ କଲା ।

Image

 

ବିଜ୍ଞାନଚାର୍ଯ୍ୟ ଶ୍ରୀଯୁକ୍ତ ରମଣ

 

ବିଜ୍ଞାନ ପରିଷଦର ଶ୍ରୀଯୁକ୍ତ ରମଣ ଥିଲେ ଜଣେ ମୁଖ୍ୟ ସଭ୍ୟ । ସେ ପରିଷଦ କାର୍ଯ୍ୟରେ ଅନେକ ସମୟ ଦେଉଥିଲେ । ଏତେବେଳକୁ ତାଙ୍କର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ହୋଇ ଯାଇଥିଲା । ଏହି ପରିଷଦ ପକ୍ଷରୁ ଗୋଟିଏ ପତ୍ରିକା ବାହାରୁଥିଲା । ତାହାର ନାମ ‘ଭାରତୀୟ ବିଜ୍ଞାନ ପତ୍ରିକା' । ଏହି ପତ୍ରିକା ଆଜି ସୁଦ୍ଧା ଚଳି ଆସୁଛି । ରମଣ ଏବଂ ପତ୍ରିକାର ଜଣେ ମୁଖ୍ୟ ସଭ୍ୟ ରୂପେ ରହିଥାନ୍ତି । ଏହି ପତ୍ରିକାର ଖ୍ୟାତି ଶ୍ରୀଯୁକ୍ତ ରମଣଙ୍କର ସହାୟତାରେ ସମଗ୍ର ପୃଥିବୀରେ ପ୍ରଚାରିତ ହୋଇଥିଲା । ଭାରତରେ ଏହି ପତ୍ରିକାଟି ସେତେବେଳେ ପ୍ରଥମ ଓ ପ୍ରଧାନ ପତ୍ରିକା ଥିଲା । ପୃଥିବୀର ଅନ୍ୟାନ୍ୟ ଦେଶର ସଭ୍ୟ ଓ ଶିକ୍ଷିତମାନଙ୍କ ମହଲରେ ଏ ପତ୍ରିକାର ଖ୍ୟାତି ମଧ୍ୟ ଥିଲା ।

 

ଭାରତରେ ସେ ବିଶିଷ୍ଟ ବୈଜ୍ଞାନିକ ଥିଲେ । ଭାରତରେ ଏକ ବିଜ୍ଞାନ କଂଗ୍ରେସ ସଂଗଠନ କରିବାପାଇଁ ସେ ଚେଷ୍ଟାରେ ଲାଗି ପଡ଼ିଥିଲେ । ସମଗ୍ର ଭାରତରେ ଏହି ଉଦ୍ଦେଶ୍ୟରେ ସେ ପରିଭ୍ରମଣ କରି ବିଜ୍ଞାନର ବାର୍ତ୍ତା ଦେଶବାସୀଙ୍କୁ ଶୁଣାଇଥିଲେ । ତାଙ୍କର ଭାଷଣ ଶୁଣିବାକୁ ହଜାର ହଜାର ଲୋକ ଜମା ହେଉଥିଲେ । ବିଜ୍ଞାନର କଠିନ ବିଷୟକୁ ସେ ଅତି ସହଜ ଓ ସରଳ ଭାଷାରେ ବୁଝାଇ ଦେଉଥଲେ ଯେ, ଲେକେ ତାଙ୍କୁ ବକ୍ତୃତା ମୁଗ୍‌ଧ ହୋଇ ଶୁଣୁଥିଲେ । ଭାରତ ବିଜ୍ଞାନ କ୍ଷେତ୍ରରେ ଯେତେବେଳେ ସମଗ୍ର ପୃଥିବୀରେ ପଛକୁ ପଡ଼ିଥିଲା, ଶ୍ରୀରମଣ ଭାରତରେ ବିଜ୍ଞାନ ମନୋବୃତ୍ତିକୁ ବିକାଶ କରିବାପାଇଁ ସେତେବେଳେ ପ୍ରାଣପଣେ ଉଦ୍ୟମ କରିଥିଲେ ।

 

୧୯୨୨ ମସିହା ବେଳକୁ ତାଙ୍କର ଖ୍ୟାତି ଭାରତରେ ବ୍ୟାପି ଯାଇଥିଲା । କଲିକତା ବିଶ୍ୱବିଦ୍ୟାଳୟ ରମଣଙ୍କର ବିଜ୍ଞାନ ଆଲୋଚନା ଓ ଗବେଷଣା ଦେଖି ତାଙ୍କୁ ‘ବିଜ୍ଞାନାଚାର୍ଯ୍ୟ’ ପଦରେ ସେହି ବର୍ଷ ଭୂଷିତ କଲେ । ୧୯୨୪ ମସିହାରେ ସେ ଇଂଲଣ୍ଡର ସୁବିଖ୍ୟାତ ସଙ୍ଗଠନ ‘ରୟାଲ ସୋସାଇଟି’ର ସଭ୍ୟ ମନୋନୀତ ହେଲେ ।

Image

 

ପୁଣି ବିଦେଶ ଯାତ୍ରା

 

ଉତ୍ତର ଆମେରିକାରେ କାନାଡ଼ା ଗୋଟିଏ ବଡ଼ ଦେଶ । ଭାରତ ପରି କାନାଡା ଇଂରେଜମାନଙ୍କ ଅଧୀନରେ ବହୁଦିନ ଧରି ରହିଥିଲେ । ସେ କାନାଡ଼ାରେ ବ୍ରିଟିଶ ସାମ୍ରାଜ୍ୟର ବୈଜ୍ଞାନିକ ମାନଙ୍କର ଗୋଟିଏ ସମ୍ମିଳନୀ ବସୁଥାଏ । ସେହି ୧୯୨୨ ମସିହାରେ ଏହି ସଭା ଡକା ଯାଇଥାଏ । ଭାରତର ପ୍ରତିନିଧି ଭାବରେ ଶ୍ରୀରମଣ ସେ ସମ୍ମିଳନୀରେ ଯୋଗ ଦେଇଥିଲେ । ସେଠାରେ ବିଜ୍ଞାନ ସମ୍ପର୍କରେ ଯେତେ ଆଲୋଚନା ହୋଇଥିଲା, ସେ ସେଥିରେ ବିଶେଷ ଭାଗ ନେଇଥିଲେ ।

କାନାଡ଼ାରୁ ସେ ପୃଥିବୀର ସବୁଠାରୁ ଧନୀ ଓ ସଭ୍ୟଦେଶ ଯୁକ୍ତରାଷ୍ଟ୍ରକୁ ଆସିଲେ । ଆଧୁନିକ ବିଜ୍ଞାନଚର୍ଚ୍ଚା ଓ ବିଜ୍ଞାନାଗାର ଯୁକ୍ତରାଷ୍ଟ୍ରର ବିଭିନ୍ନ ସ୍ଥାନରେ ଦେଖାଯାଏ । ଶ୍ରୀରମଣ ଅନେକ ବିଜ୍ଞାନାଗାର ଦେଖିଲେ । ବଡ଼ ବଡ଼ ବୈଜ୍ଞାନିକମାନଙ୍କ ସଙ୍ଗରେ ଆଲୋଚନା କଲେ । ଯୁକ୍ତରାଷ୍ଟ୍ରର ବୈଜ୍ଞାନିକମାନେ ଶ୍ରୀରମଣଙ୍କ ଜ୍ଞାନ ଦେଖି ଆଶ୍ଚର୍ଯ୍ୟ ହେଲେ । ସେତେବେଳେ ସେ ଆମେରିକାର ପ୍ରସିଦ୍ଧ ବୈଜ୍ଞାନିକ ପ୍ରଫେସର ମିଲ୍‌କନ୍‌ଙ୍କ ସହିତ ସାକ୍ଷାତ କରିଥିଲେ । ଦୁଇ ବୈଜ୍ଞାନିକଙ୍କ ମଧ୍ୟରେ ଅଳ୍ପ ସମୟ ମଧ୍ୟରେ ଘନିଷ୍ଠତା ହୋଇଗଲା । ଶ୍ରୀରମଣ ପ୍ରଫେସର ମିଲ୍‌କନ୍‌ଙ୍କ ବିଜ୍ଞାନାଗାରରେ କିଛିଦିନ ରହି ନିଜର ତଥ୍ୟଗୁଡ଼ିକ ପରୀକ୍ଷା କରି ତାଙ୍କୁ ଦେଖାଇବାର ସୁଯୋଗ ପାଇଥିଲେ ।

ଆମେରିକାରୁ ସେ ଇଂଲଣ୍ଡ ଆସିଲେ । ଇଂଲଣ୍ଡରେ କିଛିଦିନ ଅବସ୍ଥାନ କରି ଇଉରୋପ ମହାଦେଶର ନରଓ୍ୱେ ଦେଶକୁ ବୁଲିବାକୁ ଗଲେ । ସବୁ ଦେଶରେ ଲେକେ ତାକୁ ଭାରି ସମ୍ମାନ ଦେଖାଇଥିଲେ । ତା’ପରେ ସେଠାରୁ ଭାରତ ଫେରି ଆସିଲେ।

ପୁଣି ଦୁଇ ତିନି ବର୍ଷପରେ ଋଷିଆ ଦେଶରେ ‘ଋଷିଆନ୍ ବିଜ୍ଞାନ ପରିଷଦ’ ର ଏକ ବିଶେଷ ଅଧିବେଶନ ବସୁଥିଲା । କଲିକତା ବିଶ୍ୱବିଦ୍ୟାଳୟର ପ୍ରତିନିଧି ଭାବରେ ସେ ଉକ୍ତ ସଭାରେ ଯୋଗ ଦେବାକୁ ଋଷିଆ ଯାଇଥିଲେ । ଋଷିଆର ବଡ଼ ବଡ଼ ସହର ସେ ଏତିକିବେଳେ ବୁଲିଥିଲେ । ଋଷିଆରୁ ଫେରି ସେ ଜର୍ମାନୀ, ସୁଇଜରଲ୍ୟାଣ୍ଡ ଓ ଇଟାଲୀର ଅନେକ ସ୍ଥାନ ବୁଲି ଭାରତ ଫେରିଲେ ।

 

ଶ୍ରୀରମଣ ଜର୍ମାନୀ ଭ୍ରମଣ କରୁଥିଲାବେଳେ ଜର୍ମାନୀ ଫିଜିକ୍‌ସ୍‌ ସୋସାଇଟିର ସମ୍ପାଦକଙ୍କ ସହିତ ପରିଚିତ ହୋଇଥିଲେ । ସେ ସୋସାଇଟି ତରଫରୁ ଗୋଟିଏ ପତ୍ରିକା ବାହାରୁଥିଲା । ସେ ପତ୍ରିକାରେ ଶ୍ରୀରମଣ ତାଙ୍କର ବୈଜ୍ଞାନିକ ଆଲୋଚନା ପ୍ରକାଶ କରିବାପାଇଁ ସୁବିଧା ପାଇଥିଲେ । ଏହି ପତ୍ରିକାରେ ସେ ଭାରତୀୟ ବାଦ୍ୟଯନ୍ତ୍ର ବିଷୟରେ କେତୋଟି ଲେଖା ପ୍ରକାଶ କରିଥିଲେ । ଏ ଲେଖା ଫଳରେ ଭାରତୀୟ ବାଦ୍ୟଯନ୍ତ୍ର ବୀଣା ଓ ମୃଦଙ୍ଗ ସମଗ୍ର ପୃଥିବୀରେ ଖ୍ୟାତି ଲାଭ କରିଥିଲା ।

Image

 

ନୋବେଲ ପ୍ରାଇଜ ଗ୍ରହଣ

 

ଶ୍ରୀରମଣଙ୍କର ଜ୍ଞାନଗରିମା ସମଗ୍ର ପୃଥିବୀରେ ପ୍ରଚାରିତ ହେଲା । ଇଂଲଣ୍ଡର ‘ରୟାଲ ସୋସାଇଟି’ ଶ୍ରୀରମଣଙ୍କୁ ‘ହ୍ୟୁଜେଜ’ ସ୍ୱର୍ଣ୍ଣପଦକ ଦେଇ ବିଜ୍ଞାନ ଜଗତରେ ତାଙ୍କର ଶ୍ରେଷ୍ଠତ୍ୱ ସ୍ୱୀକାର କଲେ । ଇଉରୋପ ଆମେରିକାକୁ ପଛରେ ପକାଇ ଦେଇ ଶ୍ରୀରମଣ ଭାରତ ଓ ଏସିଆ ମହାଦେଶର ବିଜ୍ଞାନ କ୍ଷେତ୍ରରେ ମୁଖ ଉଜ୍ଜ୍ୱଳ କଲେ ।

 

ଏହି ହ୍ୟୁଜେଜ୍‌ ପଦକ ପାଇବାର ସପ୍ତାହକ ଭିତରେ ପୃଥିବୀର ସବୁ ଦେଶର ପତ୍ର ପତ୍ରିକାରେ ତାଙ୍କର ନାମ ପ୍ରକାଶ ପାଇଲା । ସେତେବେଳକୁ ଉପାଧିମାଳାରେ ସେ ଭୂଷିତ ହୋଇ ଯାଇଥିଲେ । ଇଂଲଣ୍ଡର ଏକ ବିଶ୍ୱବିଦ୍ୟାଳୟ ତାଙ୍କୁ ପି. ଏଚ୍. ଡ଼ି. ପଦ ଦେଇଥିଲେ । ଇଟାଲୀ ଦେଶର ଇଟାଲୀୟାନ୍ ସୋସାଇଟି ତାଙ୍କର ବିଦ୍‌ବତ୍ତାରେ ମୁଗ୍ଧ ହୋଇ ସ୍ୱର୍ଣ୍ଣପଦକ ଦେଇଥିଲେ । ବ୍ରିଟିଶ ସରକାର ‘ସାର୍’ ଉପାଧିରେ ମଧ୍ୟ ତାଙ୍କୁ ଭୂଷିତ କରିଥିଲେ ।

 

ସେତେବେଳକୁ ଶ୍ରୀ ରମଣ ବିଜ୍ଞାନରେ ଗୋଟିଏ ନୂଆ ତଥ୍ୟ ଆବିଷ୍କାର କରିଥିଲେ । ଏହି ତଥ୍ୟଟି ତାଙ୍କର ନାମ ଅନୁସାରେ ହୋଇଥିଲା ‘ରମଣ ପ୍ରଭାବ’ । ଅଣୁଗୁଡ଼ିକ ଆଲୋକକୁ ବିକିରଣ କରନ୍ତି, ତା ଫଳରେ ମୌଳିକ ଆଲୋକର ପରିବର୍ତ୍ତନ ଘଟେ। ଏହି ବିକିରଣର ନାମ ମଧ୍ୟ ଦିଆଗଲା–‘ରମଣ ଆଲୋକ’ । ଏହାଦ୍ୱାରା ଗଣିତଜ୍ଞ, ଭୌତ୍ତିକ ବିଜ୍ଞାନବିତ୍‌ ଓ ରସାୟନ ଶାସ୍ତ୍ର ବିଶାରଦମାନଙ୍କର ନାନାପ୍ରକାର ଗବେଷଣା ପାଇଁ ବହୁ ସୁବିଧା ହେଲା ।

 

ଏହି ‘ରମଣ ପ୍ରଭାବ’ ଯେତେବେଳେ ପ୍ରକାଶିତ ଓ ପ୍ରଚାରିତ ହେଲା, ପୃଥିବୀର ବୈଜ୍ଞାନିକମାନେ ରମଣଙ୍କର ଏ ନୂତନ ତଥ୍ୟ ପାଇଁ ତାଙ୍କୁ ସ୍ୱାଗତ ଜଣାଇଲେ । ସେ ବର୍ଷ ଭୌତିକ ବିଜ୍ଞାନ ବିଷୟରେ ନୋବେଲ ପ୍ରାଇଜ ପାଇବା ପାଇଁ ଶ୍ରୀ ରମଣଙ୍କର ନାମ ପ୍ରସ୍ତାବ କରାଗଲା । ନୋବେଲ ପ୍ରାଇଜ ତାଲିକାରେ ସେ ବର୍ଷ ତାଙ୍କ ନାମ ଦେଖାଗଲା । ୧୯୧୩ ମସିହାରେ ଭାରତରୁ କବି ରବିନ୍ଦ୍ରନାଥ ନୋବେଲ ପ୍ରାଇଜ୍‌ ପାଇଥିଲେ । ତା ପରେ ଆଉ କେହି ପାଇ ନ ଥିଲେ । ଭୌତକ ବିଜ୍ଞାନ ବିଷୟରେ ସମଗ୍ର ଏସିଆରୁ ଶ୍ରୀଯୁକ୍ତ ରମଣ ୧୯୩୦ ମସିହାରେ ପ୍ରଥମେ ନୋବେଲ ପ୍ରାଇଜ୍ ପାଇଲେ । ସମଗ୍ର ଏସିଆ ମହାଦେଶରେ ଆନନ୍ଦର ଢେଉ ଖେଳିଗଲା ।

 

ଶ୍ରୀ ରମଣ ନୋବେଲ ସ୍ୱର୍ଣ୍ଣପଦକ ଓ ଅର୍ଥ ଗ୍ରହଣ କରିବା ପାଇଁ ସ୍ୱୀଡ଼େନ୍ ଯାଇଥିଲେ । ସେଠାରେ ବିଜ୍ଞାନ ସମ୍ବନ୍ଧରେ ଏକ ସାରଗର୍ଭକ ଭାଷଣ ଦେଇଥିଲେ । ସ୍ୱୀଡ଼େନ୍‌ର ରାଜା ଶ୍ରୀ ରମଣଙ୍କୁ ଏହି ପୁରସ୍କାର ପ୍ରଦାନ କଲେ । ସ୍ୱୀଡ଼େନ୍‌ରୁ ଭାରତ ଫେରିବା ବାଟରେ ସେ ଡେନମାର୍କ, ଇଂଲଣ୍ଡ, ଜର୍ମାନୀ ବାଟେ ଆସିଲେ ।

 

ସେ ସବୁବେଳେ ନିଜ ଗବେଷଣା କାର୍ଯ୍ୟରେ ଲିପ୍ତ ରହୁଥିଲେ । ସେ କହନ୍ତି, ସମ୍ମାନ, ପ୍ରଶଂସା, ପୁରସ୍କାର–ଏଗୁଡ଼ିକ ବୈଜ୍ଞାନକ ଜୀବନର ସାଧାରଣ ଘଟଣା ଭାବି, ସର୍ବଦା ନିତ୍ୟ ନୂତନ ଶକ୍ତିରେ କାର୍ଯ୍ୟ କରିବା ଉଚିତ ।’ ତାହାହିଁ ତାଙ୍କ ଜୀବନରେ ସେ ଅକ୍ଷରେ ଅକ୍ଷରେ ପାଳୁଥିଲେ ।

 

୧୯୩୦ ମସିହାରେ ଗ୍ଲାସଗୋ, ପ୍ୟାରିସ୍ ଓ ବମ୍ବେ ବିଶ୍ୱବିଦ୍ୟାଳୟରୁ ସେ ବିଜ୍ଞାନାଚାର୍ଯ୍ୟ ଉପାଧି ପାଇଥିଲେ । ମାନ୍ଦ୍ରାଜ ଓ ବନାରସ ବିଦ୍ୟାଳୟ ମଧ୍ୟ ତାଙ୍କୁ ସେହି ଉପାଧିରେ ଆଉଥରେ ଭୂଷିତ କରିଥିଲେ । ଆମେରିକା ମହାଦେଶର ଫିଲାଡେଲଫିଆ ବିଶ୍ୱବିଦ୍ୟାଳୟରୁ ସେ ଫ୍ରାଙ୍କ୍‌ଲିନ ସ୍ୱର୍ଣ୍ଣପଦକ ପାଇଥିଲେ । ଏହିପରି କେତେ ସ୍ୱର୍ଣ୍ଣପଦକ, କେତେ ପଦବୀ ପ୍ରାପ୍ତି ତାଙ୍କ ଜୀବନର ନିତ୍ୟ ସାଧାରଣ ଘଟଣା ହୋଇ ଆସିଛି, କିନ୍ତୁ ସେ ଜୀବନର ସେହି ଏକମାତ୍ର ବ୍ରତ ବିଜ୍ଞାନ ଗବେଷଣା କାର୍ଯ୍ୟରେ ଲାଗି ରହିଥାନ୍ତି ।

Image

 

ମହାନୁଭବ ଶ୍ରୀରମଣ

 

ଶ୍ରୀଯୁକ୍ତ ରମଣ ଜଣେ ବଡ଼ ବୈଜ୍ଞାନକ; କିନ୍ତୁ ତାଙ୍କ ହୃଦୟ ବଡ଼ ସରଳ; ହୃଦୟରେ ତିଳେ ମାତ୍ର ଗର୍ବ ନାହିଁ । ସ୍ୱଭାବ ଅତି ମଧୁର । ସରଳତା ତାଙ୍କ ଜୀବନର ଏକ ଆଦର୍ଶ ଗୁଣ । ବେଳେ ବେଳେ ଉଚ୍ଚ ଚିନ୍ତା କ୍ଷେତ୍ରରେ ବୁଲୁଥିଲେ ସୁଦ୍ଧା ସେ ବଡ଼ ମେଳାପୀ । ବାଳକମାନଙ୍କ ସଙ୍ଗରେ ମିଶିବାକୁ ସେ ଖୁବ୍ ଭଲପାନ୍ତି । ଦକ୍ଷିଣଭାରତୀୟ ବ୍ରାହ୍ମଣମାନେ ଯେପରି ସବୁବେଳେ ମୁଣ୍ଡରେ ପଗଡ଼ି ବାନ୍ଧି ଥାଆନ୍ତି, ତାଙ୍କର ମୁଣ୍ଡରେ ମଧ୍ୟ ସେହିପରି ଗୋଟିଏ ପଗଡ଼ି ଥାଏ । ବ୍ରାହ୍ମଣମାନଙ୍କର କୁଳାଚାର ସେ ଛାଡ଼ିବାକୁ ପ୍ରସ୍ତୁତ ନୁହନ୍ତୁ ।

 

ପରୋପକାର ତାଙ୍କ ଜୀବନର ଏକ ବ୍ରତ । ସେ ଯେତେବେଳେ ରେଙ୍ଗୁନ୍‌ରୁ ନାଗପୁରକୁ ବଦଳ ହେଲେ ସେତେବେଳେ ନାଗପୁର ସହରରେ ପ୍ଲେଗ୍‌ ଲାଗିଥାଏ । ସେ ରୋଗରେ ଅନେକ ଲୋକ ଆକ୍ରାନ୍ତ ହୋଇଥାନ୍ତି । ଶ୍ରୀ ରମଣ ନିଜର ସୁଖ ଦୁଃଖ ଭୁଲି ଜନସେବା କାର୍ଯ୍ୟରେ ସେତେବେଳେ ଲାଗି ପଡ଼ିଲେ । ତାଙ୍କ ବଙ୍ଗଳା ଆଗରେ ତମ୍ବୁ ପକାଇ କେତେକ ନିରାଶ୍ରୟ ରୋଗୀଙ୍କୁ ଆଶ୍ରୟ ଦେଇଥିଲେ ! ନିଜେ ଆଗ ପଛ ନ ବିଚାରି ରୋଗୀଙ୍କ ସେବାରେ ଲାଗିଯାଉଥିଲେ ।

 

ସେ ଜଣେ ପ୍ରଧାନ ଶିକ୍ଷାବିତ୍ । ଭାରତର ଶିକ୍ଷାକ୍ଷେତ୍ରରେ ତାଙ୍କର ଦାନ ଅବିସ୍ମରଣୀୟ-। ସେ ଜଣେ ବଡ଼ ଜ୍ଞାନୀ, ବିଦ୍ୱାନ୍ ଲୋକ। ସେ ବିଦ୍ୱାନ୍‌ ଲୋକଙ୍କର ମଧ୍ୟ ଆଦର କରି ଜାଣନ୍ତି । ଭାରତୀୟ ଛାତ୍ରମାନଙ୍କର ଉନ୍ନତି ନିମିତ୍ତ ସେ ଆଜୀବନ ଚେଷ୍ଟା କରି ଆସିଛନ୍ତି । ତାଙ୍କର ଚେଷ୍ଟାଫଳରେ ବିଶାଖାପାଟଣାର ଆନ୍ଧ୍ର କଲେଜର ବିଜ୍ଞାନ ବିଭାଗର ସମଧିକ ଉନ୍ନତି ହୋଇଅଛି ଏବଂ ମହୀଶୂରର ବାଙ୍ଗାଲୋର ସହରରୁ ‘କରେଣ୍ଟ ସାଇନ୍‌ସ' ବୋଲି ଆଧୁନିକ ବୈଜ୍ଞାନିକ ଚିନ୍ତାଧାରା ପୂର୍ଣ୍ଣ ଗୋଟିଏ ପତ୍ରିକା ବାହାରୁଥିଲା । କଲିକତାର ବିଜ୍ଞାନ ପରିଷଦର ଆର୍ଥିକ ପରିସ୍ଥିତି ସୁଧାରିବା ନିମନ୍ତେ ସେ ଏକ ପାଣ୍ଠି ସଂଗ୍ରହ କରିଥିଲେ । ଏ ପାଣ୍ଠିରେ ଅଢ଼େଇ କୋଟି ପର୍ଯ୍ୟନ୍ତ ଟଙ୍କା ତାଙ୍କର ଚେଷ୍ଟାରେ ସଂଗୃହୀତ ହୋଇ ପାରିଥିଲା ।

 

୧୯୩୨ ମସିହାରେ ସେ କଲିକତା ବିଶ୍ୱବିଦ୍ୟାଳୟରୁ ଅବସର ଗ୍ରହଣ କଲେ । ସେହି ବର୍ଷଠାରୁ ୧୯୨୭ ପର୍ଯ୍ୟନ୍ତ ସେ ବାଙ୍ଗାଲୋରର ସୁବିଖ୍ୟାତ ବିଜ୍ଞାନ ସଂଗଠନ ‘ଭାରତୀୟ ବିଜ୍ଞାନ ଅନୁଷ୍ଠାନର’ ଅନୁସନ୍ଧାନ କାର୍ଯ୍ୟରେ ବ୍ରତୀ ଥିଲେ । ସେହି ଦିନଠାରୁ ବାଙ୍ଗାଲୋର ସହରରେ ତପସ୍ୱୀ ପରି ବୈଜ୍ଞାନିକ ତତ୍ତ୍ୱ ଗବେଷଣାରେ ଲାଗିଥିଲେ ।

 

ଈଶ୍ୱରଙ୍କ କୃପାରୁ ସେ ଦେଶବାସୀଙ୍କୁ ଶେଷପର୍ଯ୍ୟନ୍ତ ବିଜ୍ଞାନର ଗୌରବ ଦେଖାଇବାରେ ଲାଗିପଡ଼ିଥିଲେ । ଯେଉଁ ଦେଶରୁ ସେ ପ୍ରଥମ ବୈଜ୍ଞାନିକ ହୋଇ ସମଗ୍ର ପୃଥିବୀରେ ନିଜର ଓ ଦେଶର ନାମ ବଢ଼ାଇଥିଲେ, ସେହି ଦେଶ ଦିନେ ବିଜ୍ଞାନ କ୍ଷେତ୍ରରେ ଉଚ୍ଚତମ ସ୍ଥାନ ଲାଭକରୁ, ଏହାହିଁ ତାଙ୍କର ଆଶାଥିଲା ।

 

ବୈଜ୍ଞାନିକ ରମଣଙ୍କର ୧୯୭୨ ମସିହା ନଭେମ୍ବର ୨୧ ତାରିଖରେ ମୃତ୍ୟୁ ହେଲା । ତାଙ୍କର ଅମର ଆତ୍ମାର ସଦ୍‌ଗତି ହେଉ, ଏହାହିଁ ଭାରତବାସୀଙ୍କର ଈଶ୍ୱରଙ୍କ ନିକଟରେ ନିବେଦନ-

Image